ଚିଠି
ଆଜି ବି ମନେଅଛି ଇତିହାସ କ୍ଲାସ୍ ରେ ସାର୍ ମୋଗଲ୍ ସାମ୍ରାଜ୍ୟ ପଢ଼ାଉଥିଲେ ବେଳେ ସାଙ୍ଗ ପାଖକୁ ଲେଖୁଥିବା ସେ ଛୋଟ ଛୋଟ କାଗଜର ଚିଠି ସବୁ। କେବେ ସାଙ୍ଗ ହୋଇ କ୍ଲାସ୍ ରୁ ବାହାରି ଯିବାର ପ୍ରସ୍ତୁତି ତ ପୁଣି କେବେ କିଏ କାହାକୁ ଅନେଇ ହସୁଛିର ବିଶ୍ଳେଷଣ ।କେଇ ଖଣ୍ଡ କାଗଜ ରେ କେତେ କଥା ଲେଖି ହେଇଯାଉଥିଲା। ସେବେ ଠୁ ଚିଠି ପ୍ରତି ମୋର ଅଜଣା ଏକ ଦୁର୍ବଳତା। କିଏ ଯେବେ ପଚାରେ ଉପହାର କଣ ଦରକାର ବୋଲି ନିର୍ଦ୍ଵନ୍ଦରେ ମୁଁ କହି ଦିଏ ଚିଠି ଖଣ୍ଡେ। କାହା ପାଇଁ କାଗଜ ଫର୍ଦ୍ଦ ଟିଏ ହେଇପାରେ ସେ ହେଲେ ମୋ ପାଇଁ ମନର ଆଇନା ପରି । ଓଠ କହି ନପାରୁଥିବା କଥା ବି ଅଜାଣତେ ଫୁଟି ଉଠେ କାଗଜ ରେ। ଏମିତି ଅନେକ ଚିଠି ସାଇତି ରଖିଥାଏ ମୁଁ। କେବେ କେବେ ଏକା ଲାଗିଲେ ସେ ସବୁ କୁ ମନ ପୁରେଇ ପଢ଼ିନିଏ।
ସେଦିନ ଏମିତି ଖୋଜୁ ଖୋଜୁ ବହୁତ୍ ପୁରୁଣା ଚିଠି ଟିଏ ପାଇଲି। ଛଅ ବର୍ଷ ତଳ ର ସ୍ମୃତି ସବୁ ଆଖି ଆଗରେ ନାଚି ଯାଉଥାଏ। ବନ୍ଧୁ ଜଣେ ଲେଖି ଥିଲେ ହଷ୍ଟେଲ ଛାଡ଼ିବା ଆଗରୁ। ଆଉ ତାଙ୍କ ଶେଷ ବାକ୍ୟ ଥିଲା ଏମିତି କିଛି " ଝିଅପିଲା ଭଳି ଟିକେ ଆଚରଣ ଆଉ ବେଶ ରଖ୍ ହେଲେ ନିଜ ମନ କୁ କେବେ ପରିବର୍ତ୍ତନ କରିବୁନି ।" ସେଦିନ ଆଉ ଆଜି ଭିତରେ ଅନେକ ତଫାତ୍। ତାଙ୍କ କଥା ମାନି ଆଚରଣ ଆଉ ବେଶ ସିନା ବଦଳେଇ ଦେଲି ହେଲେ ମନ କୁ ଆଗ ପରି ରଖିପାରିଲିନି। ତାଙ୍କ ଚିଠି ରେ ନିଜ ଅତୀତର ପ୍ରତିଛବି ଦେଖି ବର୍ତ୍ତମାନ ଟା ଭାରି ବିଚଳିତ ହୋଇପଡ଼ିଲା। ସତରେ କାଗଜର ସେଇ ଫର୍ଦ୍ଦ ଖଣ୍ଡେ କେତେ ଶୂନ୍ୟସ୍ଥାନ ପୂରଣ କରିଦେଇ ଗଲା ତାହା ପ୍ରେରକ ଆଉ ପାଠକର ଏକାନ୍ତ ନିଜସ୍ଵ ଉପଲବ୍ଧି। ହସ ଲୁହରେ ଭିଜା ଚିଠି ଟିଏ ଆଗରେ ହାରିଯାଏ ଯାନ୍ତ୍ରିକ ଯୁଗର ଇମୋଜି ଭାର ଅଧା ଖଣ୍ଡି ଇଂରାଜୀ ଭାଷାର ବାର୍ତ୍ତା।
@ଅମୃତା
©Bhagyalaxmi Behera
ଚିଠି